ନୂଆପଡା (ଜଗନ୍ନାଥ ସାଗର): ଜିଲ୍ଲା ସିନାପାଲି ସ୍ଥିତ ପୁରୁଣା ହସ୍ପିଟାଲ ପଡିଆ ଠାରେ ସିନାପାଲି ବ୍ଲକ ମୂଳନିବାସୀ ଏକତା ମଞ୍ଚ ପକ୍ଷରୁ ବାବା ସାହେବ ଡା. ଭିମରାଓ ଆମ୍ବେଦକର ଙ୍କ ୧୩୨ତମ ଓ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ୧୯୬ତମ ସଂଯୁକ୍ତ ଜୟନ୍ତୀ ସମାରୋହ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଗୋଣ୍ଡ ସମାଜ ସଭାପତି ପ୍ରସନ୍ନ ମାଝୀ ସଭାପତିତ୍ୱ କରିଥିବା ଶିକ୍ଷାବିତ ଭରତ ଚନ୍ଦ୍ର ବାଗ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶୁଭାରମ୍ଭରେ ବାବା ସାହେବ ଓ ଜ୍ୟୋତି ରାଓ ଫୁଲେ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ, ସମ୍ମାନିତ ଅତିଥି ସିନାପାଲି ଗୋଣ୍ଡ ସମାଜ ମହିଳା ସଭାନେତ୍ରୀ ରମାକାନ୍ତି ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ମାଲି ସମାଜ ସଭାପତି ଗୋଦାବରିସ ନାଏକ ,ସିନାପାଲି ବ୍ଲକ ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ, ବନଜରା ସମାଜ ସଭାପତି ଲଛମନ ବନଜରା, ଶିକ୍ଷାବିତ ହୃଦାନନ୍ଦ ମାଝୀ, ଗଙ୍ଗରାମ ବାଗ, ପୁରନ୍ଦର ସୁନାନୀ,କୈଳାଶ ବାଗ ପ୍ରମୁଖ ମଞ୍ଚଆସିନ ଥିଲେ। ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୃଥକ ଭାବେ ଉକ୍ତ ସଂଯୁକ୍ତ ଜୟନ୍ତୀ ସମାରୋହ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏସଟି, ଏସସି ଓ ଓବିସି ସମ୍ପ୍ରଦାୟର ମିଳିତ ଉଦ୍ୟମରେ ଉକ୍ତ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ସମସ୍ତ ମୂଳନିବାସୀ ସମ୍ପ୍ରଦାୟର ମିଳିତ ଆୟୋଜନ କୁ ନେଇ ପରସ୍ପର ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ସମସ୍ତ ମୂଳନିବାସୀ ସମ୍ପ୍ରଦାୟ ମିଳିତ ଭାବରେ ଆମ୍ବେଦକର ଜୟନ୍ତୀ ପାଳନ କରିବା ସହ ଶିକ୍ଷିତ ହେବା, ସଂଘର୍ଷ କରିବା ଓ ସଂଗଠିତ ହେବା ନେଇ ସଭାରେ ମଞ୍ଚଆସିନ ଅତିଥି ମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ମୂଳନିବାସୀ ସମ୍ପ୍ରଦାୟର ଶତାଧିକ ପୁରୁଷ ମହିଳା,ଯୁବକ ଯୁବତୀ ଉପସ୍ଥିତ ଥିବା ବେଳେ ପରିଚାଳନାରେ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଖୁଟୁରାମ ସୁନାନୀ ଧନ୍ୟବାଦ ଦେଇଥିଲେ।
Tags
Odisha Latest News