ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ଯାଏ ନିର୍ମାଣାଧୀନ ରିଂରୋଡ଼ର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟରେ ଦୀର୍ଘ ୧୨ ବର୍ଷ ହେବ ରିଂରୋଡ଼ କାମ ଚାଲିଥିବାବେଳେ ଅନ୍ୟପଟରେ ନିର୍ମିତ ରାସ୍ତା ଲୋକାର୍ପଣ ପୂର୍ବରୁ ସାମାନ୍ୟ ବର୍ଷାରେ ଦବି ଯାଉଛି। ଗତ ୨୦ ଜାନୁୟାରୀ ୨୦୧୧ରେ ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପଯ୍ୟନ୍ତ ୫.୧୧୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରିଂରୋଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ଏଥିରେ ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ରିଂରୋଡ଼ ୩ ବର୍ଷରେ ସମାପ୍ତ ହେବା ଲକ୍ଷ ଧାର୍ଯ୍ୟ ରଖାଯାଇଥିଲା। ହେଲେ ଦୀର୍ଘ ୧୨ବର୍ଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ରିଂରୋଡ଼ ମିସିଂ ଲିଙ୍କ ଦଶମତି ଘାଟରୁ କୁମ୍ଭାରପଡା 'ପୋର୍ଟାଲ ଫ୍ରେମ' ପାଇଁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଟେଣ୍ଡର ପାଇ 'ଏଆରସିଏସଏସ ଇନ୍ଫ୍ରାଷ୍ଟ୍ରକ୍ଚର' କମ୍ପାନୀ କାମ କରୁଛି। ପୋର୍ଟାଲ ଫ୍ରେମ୍ କାମ ୨୦୨୨ ସୁଦ୍ଧା ସରିବା କଥା ହେଲେ ଏପର୍ଯ୍ୟନ୍ତ ଏକତୃତୀୟାଂଶ ବି କାମ ହୋଇନାହିଁ। ତେଲନଦୀ ସେତୁ ଠାରୁ କୁମ୍ଭାରପଡା ଏବଂ ମହାନଦୀ ସେତୁ ଠାରୁ ଦଶମତି ଘାଟ ଯାଏଁ ପିଚୁ କାମ ସରିଛି। ମହାନଦୀ କୂଳରେ ଏବେ ସଦ୍ୟ ଏକ ମାସ ହେବ ଧୁବାପଡା ଘାଟ ଠାରୁ ଦଶମତି ଘାଟ ଯାଏଁ ପାଞ୍ଚଶହ ମିଟର ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ବ୍ରାହ୍ମଣପଡା ଘାଟ ନିକଟରେ ମାତ୍ର ତିନି ଦିନର ବର୍ଷାରେ ପିଚୁ ରାସ୍ତା ଦବି ଯାଇଛି। ଫଳରେ ଲୋକଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି। ବର୍ତ୍ତମାନ ମହାନଦୀର ଉଭୟ କୂଳରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ଜୁଲାଇ ୪ ରେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିୟାନଙ୍କ ସୁବର୍ଣ୍ଣପୁର ଗସ୍ତ ପୂର୍ବ ରାତିରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଵିମଳେନ୍ଦୁ ରାୟ ଯେଉଁଠି ଛିଡା ହୋଇ ସଚିବଙ୍କ ଗସ୍ତକୁ ସଫଳ କରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ଠିକ ସେଇଠି ରିଂରୋଡ଼ ଦବିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ତଥା ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ କର୍ତ୍ତବ୍ୟ ପ୍ରତି ଅବହେଳାକୁ ସାଧାରଣରେ ଦାୟୀ କରାଯାଉଛି।
ପିସିରେ ପେସି ହେଉଛି ସୋନପୁର ରିଂ ରୋଡ଼,ଲୋକାର୍ପଣ ପୂର୍ବରୁ ଧସିଲା ପିଚୁ ରାସ୍ତା
newodishatv.co.in
Tags
Odisha Latest News