କଳାହାଣ୍ଡି: ଜିଲାର ଥୁଆମୂଳ ରାମପୁର ଥାନା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ପାନି ମାଝି (୪୫)ଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ବୀ କୁନି ମାଝି ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକ୍ରମେ ପାନି ବୁଧବାର ରାତିରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ଦୁଇଭାଇ ତାଙ୍କ ଘର ପାଖକୁ ଆସି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ପାନି ନିଦରୁଉଠି ବାହାରକୁ ଆସିବାରୁ ଦୁଇ ଭାଇ ତାଙ୍କୁ କିଛିଦୂର ଟାଣି ନେଇ ଟାଙ୍ଗିଆରେ ହତ୍ୟା କରି ଚାଲିଯାଇଥିଲେ। ଗୁରୁବାର ସକାଳେ ସ୍ତ୍ରୀ କୁନି ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ସାଇଣ୍ଟିଫିକ ଟିମ୍ ସହିତ ଥାନା ଅଧିକାରୀ କୈବଲ୍ୟ ସେଠ ଓ ସବ୍ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।