ବୌଦ୍ଧ: ପୁଣି ଚର୍ଚ୍ଚାରେ ବନବିଭାଗର ବଘିଆପଡା ଅଞ୍ଚଳ । ଏଥର ଚର୍ଚ୍ଚାର କାରଣ ଟିକିଏ ଭିନ୍ନ ପ୍ରକାରର । ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖଲିଆପାଲି ଛକ ଠାରେ ଜଙ୍ଗଲ ବିଭାଗର ଗାଡି ଉପରକୁ କେତେଜଣ ଦୁର୍ବୁତ୍ତ ଗୁଳିମାଡ କରିବା ଫଳରେ ୨ବନ ବିଭାଗର ଓ୍ବାଚର ଆହତ ହୋଇଥିବା ଜଣାପଡିଛି । ସେମାନେ ହେଲେ ନୀଳାଚଳ ପ୍ରଧାନ ଓ ନବକିଶୋର ସାହୁ । ମିଳିଥିବା ଖବର ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବୌଦ୍ଧ ଏସିଏଫଙ୍କ ନେତୃତ୍ବରେ ଏକ ଟିମ୍ ଖଜୁରିପଡା ଆଡକୁ ପେଟ୍ରୋଲିଂ କରିବାକୁ ଯାଉଥିବା ବେଳେ ପୋଲିସ ଭଳି ଦେଖାଯାଉଥିବା କେତେ ଜଣ ବ୍ୟକ୍ତି ଖଲିଆପାଲି ଛକ ନିକଟରେ ଗାଡିକୁ ଅଟକେଇବାକୁ ଚେଷ୍ଟା କରିଥିଲେ । ବନ ବିଭାଗ ଗାଡି ନରଖି ଦୃତଗତିରେ ଚାଲିଯିବାରୁ ପଛ ପାଶ୍ବରୁ ଦୂର୍ବୁତ୍ତ ମାନେ ୩/୪ ରାଉଣ୍ଡ୍ ଗୁଳି ଚାଳନା କରିଥିଲେ । ଫଳରେ ଦୁଇ ବନବିଭାଗର ଓ୍ବାଚର ଗୁଳିମାଡରେ ଆହତ ହୋଇଛନ୍ତି । ଜଣଙ୍କ ହାତରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ପିଠିରେ ଗୁଳି ବାଜିଥିବା ଜଣାପଡିଛି । ଦୁଇ ଆହତଙ୍କୁ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ସବୁଠାରୁ ବଡ କଥା ହେଉଛି ବନବିଭାଗ ଗାଡି ନଅଟକେଇବା ପଛରେ କାରଣ କଣ ? ବନ ବିଭାଗର ଗାଡିରେ କଣ ଏମିତି ଥିଲା କି ଯେଉଁଥି ପାଇଁ ଅଟକିଥିଲେ ଅଡୁଆ ହୋଇଥାନ୍ତା ? ଆଉ ପୋଲିସ ଭଳି ଦେଖାଯାଉଥିବା ସେବାବୁମାନେ କିଏ ? ସତ ପୋଲିସ ନା ମିଛ ପୋଲିସ ତାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଏତେ ସବୁ ଚର୍ଚ୍ଚା ଭିତରେ କିଏ ଗୁଳି ଚାଳନା କଲା ଓ କାହିଁକି କଲା କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଘଟଣା ପଛର ମୁଖ୍ୟ କାରଣ ଗଞ୍ଜେଇ ବୋଲି ପୋଲିସ ଅନୁମାନ କରୁଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଥିବା ଏସପି ସୂଚନା ଦେଇଛନ୍ତି ।