Ads

ଭୁବନେଶ୍ବର(ଡ଼ଃ ରାଜୀବ କୁମାର ପଣ୍ଡା): ମାର୍ଚ ୫ ତାରିଖ । ବର୍ତ୍ତମାନର ଓଡ଼ିଶାରେ ପାଇଁ ଏହା ଏକ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ଦିନ । ଆଗାମୀ ଦିନରେ ଏହି ଦିନର ମହତ୍ତ୍ଵ ଅବଶ୍ୟ ଏବେ ପରି ରହିବ ନାହିଁ । ପାର୍ବଣ ପରି ପାଳିତ ହେଉଥିବା ଏହି ଦିନଟି ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ଜନ୍ମ ଦିନ ।

୧୯୪୭ରୁ ଆଜି ପର୍ଯ୍ୟନ୍ତ ୧୪ ଜଣ ବ୍ୟକ୍ତି ବିଶେଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ କାର୍ଯ୍ୟ କରି ଆସିଛନ୍ତି। ସମଗ୍ର ଭାରତ ବର୍ଷରେ  ମାତ୍ର ୮ଟି ପିତା - ପୁତ୍ର ଯୋଡ଼ି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ଯୋଡ଼ି ଓଡ଼ିଶାର - ବିଜୁ ବାବୁ ଓ ନବୀନ ବାବୁ ।

ବିଜୁ ବାବୁ ୧୯୬୧ରୁ ୧୯୬୩ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ୨୭ ବର୍ଷର ବ୍ୟବଧାନ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସମୟ ମଧ୍ୟରେ ୯ ଜଣ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ଓ ୫ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । 

ଏହି କଥାଟି ନିଶ୍ଚିତ ଭାବରେ ସୂଚାଇ ଦେଉଛି ଯେ, ସେ ସମୟରେ ବିଜୁ ପଟ୍ଟନାୟକ ଜଣେ ଅତି ମାତ୍ରାରେ ଅଗ୍ରଗଣ୍ୟ ଓ ଜନପ୍ରିୟ ନେତା ନ ଥିଲେ । ହୁଏତ ପରବର୍ତ୍ତୀ ସମୟରେ ତାଙ୍କର ଲୋକ ପ୍ରିୟତା ବଢିଥିଲା ଯାହାର ମୁଖ୍ୟ କାରଣ ସବୁଠାରୁ ଦୀର୍ଘ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ତାଙ୍କ ପୁତ୍ର ହୋଇ ପାରନ୍ତି ।

ମୁଖ୍ୟମନ୍ତ୍ରୀ ହୋଇଥିବା ୧୪ ଜଣ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ, ବିଜୁ ବାବୁ ୨ ଥର ଏହି ସୁଯୋଗ ପାଇଥିଲେ । ତାଙ୍କ ବ୍ୟତୀତ ଜାନକୀ ପଟ୍ଟନାୟକ ୩ ଥର (୧୯୮୦ - ୧୯୮୫, ୧୯୮୫ - ୧୯୮୯ ଓ ୧୯୯୫ - ୧୯୯୯) , ନନ୍ଦିନୀ ଶତପଥୀ ୨ ଥର ( ୧୯୭୨ - ୧୯୭୩ ଓ ୧୯୭୪ - ୭୬ ), ହରେକୃଷ୍ଣ ମହତାବ ୨ ଥର ( ୧୯୪୭ - ୧୯୫୦ ଓ ୧୯୫୬ - ୧୯୬୧ )  ଓ ହେମାନନ୍ଦ ବିଶ୍ବାଳ ୨ ଥର( ୧୯୮୯ - ୧୯୯୦ ଓ ୧୯୯୯ - ୨୦୦୦) ମୁଖ୍ୟମନ୍ତ୍ରୀ ହୋଇଥିଲେ ।

 କିନ୍ତୁ ଏମାନଙ୍କ ଭିତରୁ କାହାକୁ ବର୍ତ୍ତମାନର ଓଡ଼ିଶାରେ ଅଗ୍ରଗାମୀ ଓ ଦୀପ୍ତିମାନ ନେତା ହିସାବରେ ଚିତ୍ରିତ ନ କରି ବିଜୁ ପଟ୍ଟନାୟକଙ୍କୁ ଏତେ ଉଚ୍ଚକୋଟୀର ନେତା ହିସାବରେ ଚିତ୍ରିତ କରିବା ପଛରେ କାରଣ ଆଉ କାହାରି ପୁତ୍ର କିମ୍ବା କନ୍ୟା ମୁଖ୍ୟମନ୍ତ୍ରୀ ହୋଇ ନ ଥିଲେ  । ତେଣୁ, ତାଙ୍କ ମୁଖ୍ୟମନ୍ତ୍ରୀ ପୁତ୍ରଙ୍କର‌ ଅବଦାନ ଏ‌‌ହି ବିଷୟରେ ନିହାତି ଭାବରେ ବିଶେଷ ଗୁରୁତ୍ବପୂର୍ଣ୍ଣ ।

ଏହି ଦୁଇଟି ପ୍ରସଙ୍ଗକୁ ବିଚାର କଲେ ଏହା ଜଣା ପଡୁଛି ଯେ, ଆମେ ପ୍ରସିଦ୍ଧ ହେବାକୁ, ଆମ ପୁତ୍ର କନ୍ୟାଙ୍କୁ ପ୍ରସିଦ୍ଧ ହେବାକୁ ପଡିବ, କାରଣ " ଆପେ ବଞ୍ଚିଲେ ବାପାର ନାଆଁ। "
Previous Post Next Post

ADS