ଭୁବନେଶ୍ୱର: ପରାଜୟ ଭୟରେ ଝାରସୁଗୁଡା ଉପନିର୍ବାଚନକୁ ହିଂସାଭିମୁଖୀ କରିବା ପାଇଁ ବିଜୁ ଜନତା ଦଳ ଷଡଯନ୍ତ୍ର ଆରମ୍ଭ କରିଛି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଏବଂ ଦଳର ତାରକା ପ୍ରଚାରକ ମାନଙ୍କର ମୁକ୍ତ ଯାତାୟତକୁ ପ୍ରତିବନ୍ଧକ ସୃଷ୍ଟି କରୁଛି ବିଜେଡି । ଗତ ୩ତାରିଖ ଦିନ ଲାଇକେରା ଥାନା ଅନ୍ତର୍ଗତ ନୀକତିମାଲ ଗାଁରେ ଦଳର ବନବାସୀ ବିଧାୟିକା କୁସୁମ ଟେଟେଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଶ୍ରୀମତୀ ଟେଟେ ମାମଲା ରୁଜୁ ପାଇଁ ଥାନାକୁ ଯାଇଥିବାବେଳେ ବିଜେଡି ସଶସ୍ତ୍ର ଗୁଣ୍ଡାବାହିନୀ ଥାନା ପରିସରରେ ତାକୁ ବାଧା ଦେଇଥିଲେ । କିନ୍ତୁ ସବୁ ଦେଖି ଚୁପ୍ ରହିବା ପୋଲିସକଳର ଅସହାୟତାଙ୍କୁ ପଦାରେ ପକାଇଛି । ଶ୍ରୀମତୀ ଟେଟେଙ୍କ ଘଟଣା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ରାଜ୍ୟର ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଥିଲା ବେଳେ ଓଡ଼ିଶାର ଜଣେ ଆଦିବାସୀ ମହିଳା ବିଧାୟିକାଙ୍କୁ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିବା ସହ ଧମକ ଦେବା ଅତ୍ୟନ୍ତ ଲଜ୍ଜ୍ୟା ଓ ପରିତାପର ବିଷୟ । ଝାରସୁଗୁଡାର ଉପନିର୍ବାଚନରେ ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସା ଦ୍ୱାରା ରୋକିବା ପାଇଁ ଚାଲିଥିବା ଷଡଯନ୍ତ୍ର ଶେଷରେ ବିଫଳ ହେବ ବୋଲି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।