ବୌଦ୍ଧ: ଜିଲ୍ଲାରେ ନିମ୍ନଗାମୀ ହୋଇଥିବା ଶିକ୍ଷାର ମାନ ତଥା 5T ରୂପାନ୍ତରଣ ନାମରେ କେଉଁଭଳି ଭାବରେ ସମସ୍ତ ଉଚ୍ଚ ବିଦ୍ୟାଳୟରେ ସରକାରୀ ଅର୍ଥ ହରିଲୁଟର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜି ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା ଉପସଭାପତି ପ୍ରଦୋଷ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ନାମରେ ଜିଲ୍ଲାର ପ୍ରାୟ ସମସ୍ତ ଉଚ୍ଚ ବିଦ୍ୟାଳୟକୁ 5T ଅଧୀନରେ ସାମିଲ କରା ଯାଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସିମୀତ ହେବା ସହ ଶାସକ ଦଳର କିଛି ମୁଷ୍ଟିମେୟ ଠିକାଦାରଙ୍କ ବ୍ୟକ୍ତିଗତ ସ୍ବାର୍ଥ ସାଧନ ହେଲା ଭଳି ମନେ ହେଉଛି । କେଉଁଠି ଟାଇଲ ଉଠି ଗଲାଣି ତ କେଉଁଠି ରଙ୍ଗ ଛାଡ଼ି ଯାଇଛି ଆଉ କେଉଁଠି ପାଣି ଜମିଥିବାର ଚିତ୍ର ମଧ୍ୟ ପ୍ରାୟତଃ ସବୁଦିନ ଖବର କାଗଜ ତଥା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ହାଲୁକା କାମ ହେଉଥିବା ଚର୍ଚ୍ଚା ହେଉଛି । କହିବା ବାହୁଲ୍ୟ ଯେ 5T ନାଁରେ ନିରୀହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଇ ଦଳୀୟ ପାଣ୍ଠି ସଂଗ୍ରହ ଚାଲିଛି । ବାରମ୍ବାର ଖବରକାଗଜରେ ଖବର ପ୍ରକାଶିତ ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଅପରପକ୍ଷରେ କିଛି ଦିନ ତଳେ ପ୍ରକାଶିତ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ଯଦି ଦେଖା ଯାଏ ତେବେ ତାହା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଜିଲ୍ଲାରେ ମୋଟ ୭୫ ଗୋଟି ଉଚ୍ଚ ବିଦ୍ୟାଳୟର ୬୫୧୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ମାତ୍ର ୮ ଜଣ ଛାତ୍ର ଛାତ୍ରୀ A1 ଗ୍ରେଡ଼ ପାଇଛନ୍ତି । ଏପରିକି ଅନେକ ଛାତ୍ର ଛାତ୍ରୀ ଠିକ୍ ଭାବରେ ନିଜ ନାମ ମଧ୍ୟ ଲେଖିବା ପାଇଁ ଅସମର୍ଥ ଅଛନ୍ତି । ଉପରୋକ୍ତ ଦୁଇଟି ବିନ୍ଦୁକୁ ଗମ୍ଭୀରତାର ସହ ବିଚାର କରି ବୌଦ୍ଧ ଜିଲ୍ଲାର ସମସ୍ତ 5T ସ୍କୁଲରେ ହୋଇଥିବା ବ୍ୟାପକ ଆର୍ଥିକ ଅନିୟମିତତା ଓ ନିମ୍ନ ମାନର କାମର ଉଚ୍ଚ ସ୍ତରୀୟ ତଦନ୍ତ ତଥା ଜିଲ୍ଲାରେ ନିମ୍ନଗାମୀ ଶିକ୍ଷା ବ୍ୟବସ୍ଥାର ଉତ୍ଥାନ ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ଉପରୋକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନ, ସୌମିତ୍ରି ନାୟକ, ସୂର୍ୟନାରାୟଣ ମହାପାତ୍ର, ଓମ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ମନୋରଞ୍ଜନ ଦାସ, ନବୀନ ମହାପାତ୍ର, ଗୋପାଳ ପୁରୋହିତ, ନମିତାରଣି ଦାସ, ଦାମୋଦର ମିଶ୍ର, ସୁନିଲ ଖେତି, ଅରୂପା ଦୀପ, ଦିନେଶ ଦୀପ, କୈଳାସ ମେଣ୍ଡିଲି, ଆଶୁତୋଷ ପ୍ରଧାନ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।