ବୌଦ୍ଧ: ବୌଦ୍ଧଜିଲାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ ଘଟଣା ବୃଦ୍ଧି ପାଇଚାଲିଥିବାବେଳେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ନେଇ ଉଦବେଗ ପ୍ରକାଶ କରାଯାଇଛି । କିଛିଦିନ ତଳେ କଣ୍ଟାମାଳର ବରିଷ୍ଠ ସାମ୍ବାଦିକ ମୁକେଶ କୁମାର ପାଢିଙ୍କୁ କିଛି ସାର ବ୍ୟବସାୟୀ ମରଣାନ୍ତକ ଆକ୍ରମଣ କରିବାପରେ ସେ ଗୁରୁତର ଅବସ୍ଥାରେ ବରଗଡଠାରେ ଚିକିତ୍ସାଧିନ ରହିଛନ୍ତି । ଏହି ଘଟଣା ମନରୁ ନଯାଉଣୁ ଗତ ଦୁଇଦିନ ତଳେ ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମରେ ଏକ ଦୁର୍ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷର ଜିଲା ପ୍ରତିନିଧି ସିମୁନ କୁମାର ନାଏକ ଓ ପ୍ରମେୟର ସ୍ଥାନୀୟ ପ୍ରତିନିଧି ବନମାଳୀ ପ୍ରଧାନ ଙ୍କୁ ସ୍ଥାନୀୟ ସରପଙ୍କ ପରିବାର ପକ୍ଷରୁ ହତ୍ୟା ଧମକ ଦିଆଯିବାପରେ ଏନେଇ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲା ସାମ୍ବାଦିକ ସଂଘର ଦୃଷ୍ଟି ଆକର୍ଷଣ କରାଯାଇଛି । ସିମୁନଙ୍କ ଅଭିଯୋଗକୁ ପୁଲିସ ଗ୍ରହଣ କରିନଥିବାବେଳେ ଏନେଇ ଜିଲାର ବରିଷ୍ଠ ସାମ୍ବାଦିକମାନେ ଉଦବେଗ ପ୍ରକାଶ କରିଛନ୍ତି । ଜିଲା ସାମ୍ବଦିକ ସଂଘ ପକ୍ଷରୁ ସଭାପତି ଶଶାଙ୍କ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ବୈଠକରେ ଜିଲାରେ ସାମ୍ବାଦିକମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କରାଯିବା ସହିତ ସାମ୍ବାଦିକମାନଙ୍କ ସୂରକ୍ଷା ନେଇ ଜିଲା ପୋଲିସ ର୍କୃପକ୍ଷଙ୍କ ଅସହଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ସିମୁନ ନାୟକ ଓ ବନମାଳୀ ପ୍ରଧାନଙ୍କ ମାମଲାରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକମାନେ ଦାବି କରିବା ସହିତ ଘଟଣାକୁ ନିନ୍ଦା କରାଯାଇଥିଲା । ଏହି ଘଟଣା ସହିତ ଜିଲାରେ ବାରମ୍ବାର ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ସଂପର୍କରେ ଜିଲା ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଏସପି ଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସାମ୍ବାଦିକ ମୁକେଶ ପାଢିଙ୍କ ମାମଲାରେ ଜିଲା ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସହିତ ଚିକିତ୍ସାଧିନ ମୁକେଶଙ୍କ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ବୈଠକରେ ବରଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ,ସଂପଦ କୁମାର ଅଗ୍ରୱାଲା,ଅଜିତ କୁମାର ବାରିକ,ପ୍ରମୋଦ କୁମାର ବାଘ,ରତ୍ନାକର ବେହେରା,ରବିନ୍ଦ୍ର ପଟ୍ଟନାୟକ,କୃଷ୍ଣଗୋପାଳ ମେହେର ଓ ଧବଳେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।