ବୌଦ୍ଧ,୧୭ା୬: ବୌଦ୍ଧ ଥାନାରେ କାର୍ଯ୍ୟରତ କନେଷ୍ଠବଳ ହୃଦାନନ୍ଦ ବେହେରାଙ୍କ ଘରେ ଜିଲା ପୁଲିସ ପକ୍ଷରୁ ଚଢାଉ କରାଯାଇ ଟଙ୍କା ନେଣ ଦେଣ କାରବାର ନେଇ ଅନେକ କାଗଜପତ୍ର ଜବତ କରାଯାଇଛି । ଗୃହରକ୍ଷୀ ପ୍ରଦିପ କୁମାର ତ୍ରିପାଠିଙ୍କୁ ହୃଦାନନ୍ଦ ଋଣ କରେଇ ଦେବା ନାମରେ ଆର୍ଥିକ ଶୋଷଣ କରୁଥିବା ନେଇ ବୌଦ୍ଧ ଥାନାରେ ଗତ ୧୫ ତାରିଖ ଦିନ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ବୌଦ୍ଧ ଆଦର୍ଶ ଥାନା କେସନଂ ୨୮୧/୨୫ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଅନୁଯାୟୀ ବୌଦ୍ଧ ଜିଲା ଗମ୍ଭାରୀପଦର ଗ୍ରାମର ଗୃହରକ୍ଷୀ ପ୍ରଦୀପ କୁମାର ତ୍ରିପାଠି ଙ୍କୁ ଋଣ କରେଇ ଦେବା ନାମରେ ଗତ ଆଠ ବର୍ଷ ହେଲା ହୃଦାନନ୍ଦ ପ୍ରତ୍ୟକ ମାସରେ ତାଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ । ଏଥିସହିତ ଗୃହରକ୍ଷୀଙ୍କ ଏଟିଏମ, ପାଶବୁକ ଓ ଚେକବୁକ୍ ମଧ୍ୟ କନେଷ୍ଠବଳ ହୃଦାନନ୍ଦ ରଖିଥିବାବେଳେ ତାଙ୍କୁ ଏଟିଏମ ମାଗିଲେ ଧମକ ଦେବାସହିତ ଭୁବନେଶ୍ୱରରୁ ଋଣ କରିଦେବି କହି ଭଣ୍ଡେଇ ଚାଲିଥିଲେ । କନେଷ୍ଠବଳ ଶ୍ରୀ ବେହେରା ୧୦ ଲକ୍ଷଟଙ୍କା ଠକିନେବା ସହିତ ଋଣ ମଧ୍ୟ କରେଇ ନଦେବାରୁ ଗୃହରକ୍ଷୀ ଶେଷରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗତ ରବିବାର ଦିନ କନେଷ୍ଠବଳ ହୃଦାନନ୍ଦ ବେହେରାଙ୍କ ବୌଦ୍ଧ ସହରର ପୋଡାପଡାସ୍ଥିତ ବାସଭବନ ଉପରେ ବୌଦ୍ଧ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ନିଜେ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ,ଏସଡିପିଓ ଲରେନ ରାଉତରାୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରିଥିଲେ । କନେଷ୍ଟବଳଙ୍କ ଘର ଯାଞ୍ଚ ସମୟରେ ପୁଲିସ ଟଙ୍କା ନେଣ ଦେଣ ସମ୍ବନ୍ଧୀୟ ୬୦ ଟି ପାଶବୁକ୍,୪୩ଟି ଏଟିଏମ କାର୍ଡ,୨୯ ଟି ଚେକ୍ ବୁକ୍,ବିଭିନ୍ନ ଲୋକଙ୍କ ଦସ୍ତଖତ ହୋଇଥିବା ୨୦୯ ଟି ବ୍ଲାଙ୍କ ଚେକ୍,୧୧ ଗୋଟି ସେଲ ଡିଡ୍ , ୫୦୨୪୯୦ ନଗଦ ଟଙ୍କା ଓ ୧୪୫ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋୟଲ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଜ ବାସ ଭବନରେ ଏକ ମିନି ବ୍ୟାଙ୍କ ଭଳି କାରବାର ଚଳାଇବା ସହିତ ଅଭିଯୁକ୍ତ କନେଷ୍ଠବଳ ବିଭାଗୀୟ କର୍ମଚାରୀ ସମେତ ଅନେକ ଲୋକଙ୍କୁ ଋଣ କରାଇ ଦେବା ଓ ଟଙ୍କା ନେଣଦେଣ ନାମରେ ଆର୍ଥିକ ଶୋଷଣ ଭଳି କାରବାରରେ ଜଡିତ ଥିବା ପୋଲିସ ତଦନ୍ତରେ ଜାଣିପାରିଛି । ଏହି ମାମଲା ସହିତ ଆର୍ଥିକ କାରବାର ଜଡିତ ଥିବାରୁ ଏବଂ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଆୟ ବହିର୍ଭୁତ ଅର୍ଥ ବାହାରିଥିôବାରୁ ମାମଲାକୁ ଅଧିକ ତଦନ୍ତ ପାଇଁ ଭିଜିଲାନସ ବିଭାଗର ସହାୟତା ନିଆଯିବ ବୋଲି ଏସପି ଶ୍ରୀଗୋୟଲ ସୂଚନା ଦେଇଛନ୍ତି । ଏହି ଠକେଇ ମାମଲାରେ ବ୍ୟାଙ୍କର କିଛି ଅଧିକାରୀ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଅଛି । ତେବେ ତଦନ୍ତ ପରେ ଏନେଇ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ କନେଷ୍ଠବଳଙ୍କୁ ନିଳମ୍ବିତ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବୌଦ୍ଧ ଏସଡିପିଓ ଲରେନ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଏହି ମାମଲାର ତଦନ୍ତ କରି ଏହି ସଫଳତା ପାଇଥିବା ଜଣାଯାଇଛି । ଏବେ ଜିଲାରେ ଚର୍ଚ୍ଚା ବାଡ ଯଦି ଫସଲ ଖାଇଲା ଗୁହାରି କରିବ କାହାକୁ ବୋଲି ଆଲୋଚନା ହେବା ସହିତ ଘଟଣାଟି ଜୋର ଚର୍ଚ୍ଚା ଧରିଛି ।