ବୌଦ୍ଧ: ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଭୂର୍କିପଡ଼ା ଖଇରମାଳ ଛକ ନିକଟରେ ଦୁଇ ବୁଲେଟ୍ ଧକ୍କାରେ ଜଣେ ମୃତ ୩ ଗୁରୁତର। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ବାଉଁଶୁଣୀ ମାଁ ମାହେଶ୍ୱରୀ ଡ଼ିଗ୍ରୀ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଡ଼ ମନୋରଞ୍ଜନ ଘଡ଼େଇ ସୋନପୁର ପଟରୁ ବାଉଁଶୁଣୀ କଲେଜକୁ ଆସୁଥିବା ବେଳେ ବୌଦ୍ଧ ପଟରୁ ଯାଉଥିବା ଏକ ବୁଲେଟ୍ ଗାଡ଼ି ଅନ୍ୟ ଏକ ଗାଡିକୁ ଅଭରଟେକିଙ୍ଗ ଯାଇ ଅଧ୍ୟାପକ ଶ୍ରୀ ଘଡ଼େଇଙ୍କୁ ଧକ୍କା ଦେଇଥିଲା ଫଳରେ ଉଭୟ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ । ଅଧ୍ୟାପକ ଶ୍ରୀ ଘଡ଼େଇ ଅତ୍ୟଧିକ ଗୁରୁତର ହେବାରୁ ବଲାଙ୍ଗିର ଯାଉଥିବା ବାଉଁଶୁଣୀ ଗ୍ରାମର ନବିନ ମେହେର, ସୁବୋଧ ମେହେର ଓ ବୃନ୍ଦାବନ ମେହେର ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ନେଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀ ଘଡ଼େଇଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଧ୍ୟାପକ ମନୋରଞ୍ଜନ ଘଡେଇଙ୍କ ଦେହାନ୍ତ ଖବର ପାଇବା ପରେ ମାଁ ମାହେଶ୍ୱରୀ ଡ଼ିଗ୍ରୀ କଲେଜ ଓ ଜୁନିଅର କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖିନଥିବା ବେଳେ ବାଉଁଶୁଣୀ ଅଞ୍ଚଳ ମଧ୍ୟ ସ୍ତବ୍ଧ ହୋଇପଡ଼ିଥିଲା। କାରଣ ସ୍ବର୍ଗତ ମନୋରଞ୍ଜନ ଘଡ଼େଇ ବାଲେଶ୍ଵର ଜିଲ୍ଲା ସୋରୋ ଅନ୍ତର୍ଗତ ନିମ୍ନଗାଡ଼ିଆର ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ୨୬ ବର୍ଷ ହେଲା ବାଉଁଶୁଣୀ ଡ଼ିଗ୍ରୀ କଲେଜରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟକରୁଥିଲେ। ସେହିଭଳି ଜାତୀୟ ସେବା ଯୋଜନାର ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାର ଡିପିଓ ଭାବରେ ଦାୟିତ୍ଵ ନେଇ ସେବା କାର୍ଯ୍ୟ କରୁଥିଲେ।