ଭୁବନେଶ୍ୱର: ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁ ଭଳି ଭାବରେ ସାମ୍ପ୍ରଦାୟୀକ ଦଙ୍ଗା ହେଲା ଓ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ହୋଇଥିବା ଏହି ସାମ୍ପ୍ରଦାୟୀକ ଦଙ୍ଗାରେ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଦାଙ୍କର ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ସମ୍ବଲପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଓ ରାଜ୍ୟ ସରକାରଙ୍କର ଏହି ଘଟଣାରେ ପକ୍ଷପାତିତା ବିରୋଧରେ ୧୯ତାରିଖ ବିଶ୍ୱ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷ୍ୟରୁ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ହରତାଳ ନିମନ୍ତେ ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ହରତାଳ ପାଳନକୁ ଭାରତୀୟ ଜନତା ପାର୍ଟି ସମର୍ଥନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ।