ନୂଆପଡା(ଜଗନ୍ନାଥ ସାଗର): ଜିଲ୍ଲା ଖଡ଼ିଆଳ ଡୁମେରବାହାଲ ଗ୍ରାମର ଯୁବକ ଦେବରାଜତାଣ୍ଡି(୩୨) ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଯୁବକ ଅନନ୍ତ ଚିନ୍ଦା (୪୭)ଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୋଗକାରୀ ଚିତରଞ୍ଜନ ତାଣ୍ଡି ତାଙ୍କ ପୁଅ ଦେବରାଜ ତାଣ୍ଡି (୩୨) ବର୍ଷ ରବିବାର ସକାଳ କୌଣସି କାମରେ ଠେଲୋକୋଡୁଙ୍ଗୁରୀ ଗ୍ରାମକୁ ଯାଇଥିଲେ। ସେଠାରେ ଗ୍ରାମର ଅନନ୍ତ ଚିନ୍ଦାଙ୍କ ସହିତ ବଚସା ହୋଇଥିଲା । ସାମାନ୍ୟ ବଚସାକୁ ନେଇ ଅନନ୍ତ ଚିନ୍ଦା ଓ ସ୍ତ୍ରୀ ଆସୁମତି ଚିନ୍ଦା ଟାଙ୍ଗିଆ ଓ ଠେଙ୍ଗାରେ ଦେବରାଜ ତାଣ୍ଡିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଥିବା ଜଣାପଡିଛି । ସେଠାରୁ ରକ୍ତ ଜୁଡୁବୁଡୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ଥାନାରେ ନଂ ୧୪୩/୨୩ ମାମଲା ରୁଜୁ କରି ଅଭିଯୁକ୍ତ ଅନନ୍ତ ଚିନ୍ଦା ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି । କିନ୍ତୁ ପରିବାର ପକ୍ଷରୁ ଅଭିଯୁକ୍ତ ଅନନ୍ତ ଚିନ୍ଦା ର ସ୍ତ୍ରୀ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବି କରିଛନ୍ତି ।