ଭୁବନେଶ୍ୱର(ରାମ ଶଙ୍କର ଭୋଇ): ବିଜୁ ଜନତା ଦଳର ନାରୀ ନେତ୍ରୀ ସଂଯୁକ୍ତା ମହଲାଙ୍କ ଏକ ସାଂଘାତିକ ତଥା ବିସ୍ଫୋରକ ବୟାନ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଏକ ବୈଦ୍ୟୁତିକ ଗଣମାଧ୍ୟମ ସହ ଆଲୋଚନାରେ ସଂଯୁକ୍ତା କହିଛନ୍ତି, ପୂର୍ବତନ ଶ୍ରମ ଓ ନିୟୋଜନମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ କୁଆଡେ ବିବାଦୀୟ ମହିଳା ଅର୍ଚ୍ଚନା ନାଗଙ୍କ ପ୍ରଥମ ଗ୍ରାହକ। ତାଙ୍କ ମୁଖା ନଖୋଲିବା ପାଇଁ ୯୦ଲକ୍ଷ ଟଙ୍କା ଦେଇ ଅର୍ଚ୍ଚନାଙ୍କ ସହ ବୁଝାମଣା କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଶ୍ରୀକାନ୍ତଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବାର ସଂଯୁକ୍ତା ଧମକ ମଧ୍ୟ ଦେଇଛନ୍ତି। ଏଭଳି ସାଙ୍ଘାତିକ ତଥ୍ୟ ପ୍ରଘଟ ହେବା ପରେ, ସତ୍ୟତା ଯାହା ଥାଉନା କାହିଁକି ବିଜେଡି ଶିବିରରେ କିନ୍ତୁ ଛନକା ପଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଏବଂ ମାଆ କୁ ସମ୍ମାନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଜେଡି ନେତ୍ରୀ ଏବଂ ନେତାଙ୍କ ହାଇ ଡ୍ରାମା ହାଟରେ ପଡି ଦାଣ୍ଡରେ ଗଡୁଛି। ଫଳରେ ଶ୍ରୀକାନ୍ତଙ୍କୁ ବିଜେଡି ପ୍ରାର୍ଥୀ କରି ନପାରେ। ଏ ଘଟଣାର ସମାଧାନ ନହେଲେ ଆଗାମୀ ଦିନରେ ଅନେକ ଅପଦସ୍ତ ହେବାକୁ ପଡିପାରେ ବିଜେଡିକୁ। ତେଣୁ ଘଟଣାର କିପରି ସମାଧାନ କରୁଛି ବିଜେଡି ଦେଖିବାକୁ ରହିଲା।