Ads

ବୌଦ୍ଧ: ବୌଦ୍ଧଜିଲା ସଭାପତି ପଦବିକୁ ନେଇ ଜିଲା ବିଜେପିରେ ରାଜନିତି ଉଠୁଛି ପଡୁଛି । ବିଜେପି ରାଜ୍ୟ ଓ ଜିଲାରେ ପ୍ରଥମଥର ପାଇଁ ଏକକ କ୍ଷମତାକୁ ଆସିବାପରେ ଦଳୀୟ ବିଭିନ୍ନ ପଦ ପଦବୀ ପାଇଁ ଆଶାୟିଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେବେଳେ ସାଂସଦ ପ୍ରତିନିଧି ନିଯୁକ୍ତିତ କେତେବେଳେ ବିଧାୟକ ପ୍ରତିନିଧି ନିଯୁକ୍ତିକୁ ନେଇ ଦଳ ଭିତରେ ସହମତି ହୋଇପାରୁନଥିବା ଦେଖାଯାଉଅଛି । ବିଶେଷ ଭାବରେ ବିଜେପିକୁ କ୍ୟାଡର ଭିତିକ ଦଳ ଏବଂ ଛାମୁଆଁ ସଂଗଠନମାନଙ୍କ ପ୍ରଭାବ ସବୁବେଳେ ଦଳରେ ରହିଥିବା କୁହାଯାଉଥିବାବେଳେ, ଏବେ ଦଳ କ୍ଷମତାକୁ ଆସିବାପରେ ଦୀର୍ଘ ଦିନରୁ ଦଳରେ ଥିବା ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କୁ ଅବହେଳା କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଅଛି । ନିର୍ବାଚନ ପୂର୍ବରୁ ଓ ପରେ ଅନ୍ୟ ଦଳରୁ ଆମଦାନୀ ନେତାଙ୍କ ଦଳରେ ପ୍ରଭାବ ବୃଦ୍ଧି ଏବେ ଦଳ ପାଇଁ କାଳ ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଅଛି । କିଛିଦିନ ପୂର୍ବରୁ ଜିଲାସ୍ତରରେ ବିଭିନ୍ନ ମଣ୍ଡଳ ସଭାପତି ପଦବୀକୁ ନେଇ ଟଣା ଓଟରା ପରେ ଦୁଇ ବିଧାୟକଙ୍କ ସହମତିରେ ସମସ୍ତ ମଣ୍ଡଳ ପାଇଁ କାର୍ଯ୍ୟକର୍ତ୍ତା ମନୋନୀତ କରାଯାଇଥିଲା । ମଣ୍ଡଳ ପରେ ଏବେ ଜିଲା ସଭାପତି ପଦବୀ ପାଇଁ ଦଳ ମଧ୍ୟରେ କନ୍ଦଳ ତିବ୍ରତର ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ ଏହି ପଦବୀ ପାଇଁ ୬ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିବାପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ତିନିଜଣଙ୍କ ନାମ ଦିଲ୍ଲୀକୁ ପଠାଯାଇଥିବା କୁହାଯାଉଅଛି । ସଭାପତି ଚୟନ ପାଇଁ ସମୟସୀମା ଅତିକ୍ରମ ହୋଇସାରିଥିବାବେଳେ ଆଶାୟିଙ୍କ ଭିଡ ଓ ନେତାଙ୍କ ଟଣା ଓଟରା ମଧ୍ୟରେ ସହମତି ହୋଇପାରୁନଥିବା ଆଲୋଚନା ହେଉଅଛି । ଉଭୟ ବିଧାୟକ ନିଜର ସମର୍ଥକଙ୍କୁ ଜିଲା ସଭାପତି ପଦବୀରେ ବସାଇ ଦଳରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଆଲୋଚନା ହେଉଅଛି । ଦଳ ପାଇଁ କାହାକୁ ସଭାପତି କଲେ ଠିକ୍ ହେବ ସେ ସଂପର୍କରେ ବିଜେପିର ଛାମୁଆଁ ସଂଗଠନ କୁହାଯାଉଥିବା ବିଶ୍ୱହିନ୍ଦୁ ପରିଷଦ,ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗ ଦଳ ପକ୍ଷରୁ ବିଭିନ୍ନ ପ୍ରାର୍ଥୀଙ୍କ ସପକ୍ଷ ଓ ବିପକ୍ଷରେ ରାଜ୍ୟ ଓ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଆଲୋଚନା ହେଉଅଛି । ଏଥର ସଭାପତି ନିର୍ବାଚନରେ କ୍ୟାଡର ନେତାଙ୍କ ପ୍ରଭାବ ରହିଛି ନା ରାଜନୈତିକ ପଦ ପଦବୀରେ ରହିଥିବା ବ୍ୟକ୍ତିବିଶେଷଙ୍କ ପ୍ରଭାବ ରହିଛି ସ୍ପଷ୍ଟ ହୋଇଯିବ ବୋଲି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଅଛି ।  ତେବେ ଜିଲା ସଭାପତି ପାଇଁ ଚୁଡାନ୍ତ ନାମ ଘୋଷଣା ପୂର୍ବରୁ ଜିଲା ବିଜେପିରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଅଛି । ଏହି ପଦବୀ ପାଇଁ ପ୍ରମୁଖ ଦାବିଦାର ଭାବରେ ଚର୍ଚ୍ଚାରେ ରହିଥିବା କିଛି ଆଶାୟୀ ନେତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ନେଇ ବିଭିନ୍ନ ଆପତ୍ତିଜନକ ଟିପଣି ଦେଇ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ମାମଲା ଯାଇ ଥାନାରେ ପହଞ୍ଚିଲାଣି । ନେତାଙ୍କ କଳିରୁ ବର୍ତ୍ତିବାକୁ ପୋଲିସ ପକ୍ଷରୁ ମାମଲାକୁ ରାଜ୍ୟ ସାଇବର ତଦନ୍ତ ବିଭାଗକୁ ପ୍ରେରଣ କରାଯାଇଥିବା ଏବଂ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଅଛି । ଅପରପକ୍ଷରେ ଜିଲା ବିଜେପି ସଭାପତି ପଦବୀକୁ ନେଇ ଜିଲାରେ ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିବା କାଦୁଅ ଫିଙ୍ଗା ରାଜିନିତି ବିରୋଧୀ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରିଛି । ବିଜେଡି ପକ୍ଷରୁ କ୍ଷମତା ପାଇଁ ଜିଲାରେ ବିଜେପି ଫାଳ ଫାଳ ହୋଇସାରିଥିବା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସମାଲୋଚନା କରାଯାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏତେ ବିବାଦ ମଧ୍ୟରେ ପ୍ରଥମଥର ଜିଲାରେ କ୍ଷମତାର ମଙ୍ଗ ଧରିଥିବା ବିଜେପି ର ଜିଲା ସଭାପତି କିଏ ହେବ ଏବେ ଜିଲାରେ ରାଜନିତି ବାତାବରଣକୁ ସରଗରମ କରିଛି ।
Previous Post Next Post

ADS