Ads

ବୌଦ୍ଧ: ବୌଦ୍ଧଜିଲାରେ ନିର୍ବାଚନ ପରେ ବିକାଶ ପ୍ରକ୍ରିୟା ସଂପୁର୍ଣ୍ଣ ଠପ୍ ହୋଇପଡିଥିବାବେଳେ ରାଜନୈତିକ ଦଳଗୁଡିକରେ କନ୍ଦଳ କିନ୍ତୁ ବଢିବାରେ ଲାଗିଛି । କେନ୍ଦ୍ରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ କେତେବେଳ ବିଜେପି ରାଜରାସ୍ତାକୁ ଓହ୍ଳାଉଛିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇ ପ୍ରତିବାଦ କରୁଛି । ଅନ୍ୟପଟେ ଉଭୟ ରାଜନୈତିକ ଦଳ ସହିତ ସମ ଦୂରତ୍ୱ ନିତି ଆପଣାଇ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି । କିନ୍ତୁ ବୌଦ୍ଧଜିଲାରେ ଏହି ରାଜନୈତିକ ଲଢେଇ ରୋଚକ ପରିସ୍ଥିତିରେ ପହଞ୍ଚିଥିବାବେଳେ ବିଜେପି ଓ ବିଜେଡି ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଏବେ ପୁଲିସ ହରଡଘଣାରେ ପଡିଥିବା ଆଲୋଚନା ହେଉଅଛି । ସୂଚନା ମୁତାବକ ଗତ ମଇ ୩ ତାରିଖ ଦିନ ପୁରୁଣାକଟକକୁ ଏନଏସି ଘୋଷଣା ଦାବିରେ ବିଜେଡି ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ପୁରୁଣାକଟକ ବଜାରରେ ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସରୋଜ ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ପ୍ରତିବାଦ ଘଟଣାର ତିନିମାସ ପରେ ଗତ ଅଗଷ୍ଟ ୧୩ ତାରିଖ ଦିନ ପୁରୁଣାକଟକ ଥାନାରେ ବିଜେପିର ପୁରୁଣାକଟକ ମଣ୍ଡଳ ସଭାପତି ବିନୋଦ ପ୍ରଧାନଙ୍କ ଦ୍ୱାରା ଲିଖିତ ଅଭିଯୋଗକ୍ରମେ ବିଜେଡି ନେତା ଅବକାଶ ସାହୁଙ୍କ ସମେତ ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ,ଗରୁଡ ପ୍ରଧାନ,ପ୍ରତିଭା ସାହୁ,ରବିଚନ୍ଦ୍ର ପ୍ରଧାନ,ଲିଟୁ ଦେହୁରୀ,ଦିଲ୍ଲିପ ସାହୁ,ବିଜୟ ଷଡଙ୍ଗି,ଦାଶରଥି ପ୍ରଧାନ ଓ ସୁଶାନ୍ତ କୁମାର ସାହୁ ଙ୍କ ନାମରେ  ପୁରୁଣାକଟକ ପୁଲିସ ଥାନା କେସ ନମ୍ବର ୧୨୯/୧୩.୦୮.୨୦୨୫ ରେ ମାମଲା ରୁଜୁ କରିଥିବା ଜଣାପଡିଥିଲା । ମାମଲା ରୁଜୁ ହେବାପରେ ଗତ ୨୨ ତାରିଖ ଦିନ ପୁରୁଣାକଟକ ପୁଲିସ ମାମଲା ହୋଇଥିବା ବିଜେଡି କର୍ମୀଙ୍କୁ ଥାନାରୁ ବ୍ୟକ୍ତିଗତ ଜାମିନରେ ଛାଡିଥିଲା । ଏହି ଘଟଣା ପରେ ବିଜେଡି ଶିବିରରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଜିଲା ପୁଲିସ ଶାସକ ଦଳର ଚାପରେ କୌଣସି ରାଜନୈତିକ ଦଳର ବିକ୍ଷୋଭର ତିନିମାସ ପରେ ଥାନାରେ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଥିଲା । ଏହା ବିରୋଧୀ ଦଳର ଅଧିକାର ତଥା ଗଣତନ୍ତ୍ରର ହତ୍ୟା ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ଘଟଣାର ପ୍ରତିବାଦ ସ୍ୱରୂପ ବିଜେଡି ପକ୍ଷରୁ ସରସରା ଗ୍ରାମର ଅସିତ କୁମାର ପ୍ରଧାନଙ୍କ ପକ୍ଷରୁ ବୌଦ୍ଧ ଥାନାରେ ବିଜେପି ନେତାମାନଙ୍କ ନାମରେ ପାଲଟା ଅଭିଯୋଗ କରାଯାଇଥିବା ଜଣାଯାଇଛି ।  ଗତ ଜୁଲାଇ ୨୯ ତାରିଖ ଦିନ ବୌଦ୍ଧ ବାଘଗୁଡା ଛକଠାରେ ବିଜେପି ପକ୍ଷରୁ ଜିଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ  କରିଥିଲେ । ଏହି ବିକ୍ଷୋଭ ରେ ବିଜେପିର ସଭାପତି ପ୍ରେମାନନ୍ଦଙ୍କ ସମେତ ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ,ପୂର୍ବତନ ଜିଲା ସଭାପତି ବିପ୍ରଚରଣ ମହାନ୍ତି, ମନୋରଂଜନ ଦାଶ,ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ,ସୁବାସ ପ୍ରଧାନ,ସୁନୀଲ କ୍ଷେତି,ବିନୋଦ ପ୍ରଧାନ,ସୁଦାମ ମେଣ୍ଡିଲି ଓ ନିରଂଜନ ଦାନୀ ପ୍ରମୁଖ ସାମିଲ ହୋଇ ରାଜରାସ୍ତା ଅବରୋଧ କରିବା ସହିତ ନବୀନ ପଟ୍ଟନାୟକଙ୍କ ବିରୋଧରେ ଉତ୍ତେଜନା ମୂଳକ ମନ୍ତବ୍ୟ ଦେଇଥିବା ନେଇ ୨୩ ତାରିଖ ଦିନ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗ ପାଇବା ପରେ ବୌଦ୍ଧଥାନା ଅଧିକାରୀ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି । ତେବେ   ଜିଲାରେ ଅନେକ ଆନ୍ଦୋଳନ ଚାଲିଥିବାବେଳେ ଘଟଣାର ତିନିମାସ ପରେ ପୁଲିସ କୌଣସି ରାଜନୈତିକ ଦଳର କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିବା ଏକ ବିରଳ ଘଟଣା ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇବା ସହିତ ଜିଲା ପୁଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜିଲାରେ ଏହା ଏକ ସମ୍ବେଦନ ପ୍ରସଙ୍ଗ ହେବାକୁ ଯାଉଥିବାବେଳେ ବିଜେଡିର ଅଭିଯୋଗ ଆଧାରରେ ପୁଲିସ ବିଜେପି କର୍ମୀଙ୍କ ବିରୋଧରେ କଣ ପଦକ୍ଷେପ ନେଉଛି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ ବିଜେଡି ଓ ବିଜେପି ଉଭୟ ଦଳର ରାଜନୈତିକ କନ୍ଦଳରେ ଏବେ ଜିଲା ପୁଲିସ ପାଇଁ ହରଡଘଣା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଆଲୋଚନା ହେଉଅଛି ।
Previous Post Next Post

ADS