ଭୁବନେଶ୍ୱର(ରାମ ଶଙ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିଲେ। ଓଡ଼ିଶା ପରିପ୍ରେକ୍ଷୀରେ ଏହା ଏକ ଐତିହାସିକ ଦିନ। ଓଡ଼ିଶା ପାଇଁ ସେ ୬୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ସହ ସାରା ଭାରତ ପାଇଁ ଅନେକ ଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସେ କରିଛନ୍ତି। ମୋଦୀଙ୍କ ଏହି ଗସ୍ତ ଏକ ରୋଚକ ରାଜନୈତିକ ଆଲୋଚନାକୁ ମଧ୍ୟ ଜନ୍ମ ଦେଇଛି। ତାଙ୍କ ସମ୍ଭାଷଣ ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଲୋକପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ବୋଲି କହି ସମ୍ବୋଧନ କରିଥିଲେ। ରାଜ୍ୟର ବରିଷ୍ଠ ନେତା ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପୂର୍ବରୁ ସେ କନିଷ୍ଠ ପ୍ରଭାତୀ ପରିଡାଙ୍କୁ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଥିଲେ। ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି।
ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ କାର୍ଯ୍ୟକଳାପକୁ ନେଇ କୁଆଡେ ପ୍ରଧାନମନ୍ତ୍ରୀ ଖୁସି ନଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ସେ ଏକ ସ୍ପଷ୍ଟ ଦୃଷ୍ଟିକୋଣ ରଖି ବାର୍ତ୍ତା ଦେବାକୁ ଚାହିଁ ଥାଇ ପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସଭା ମଞ୍ଚକୁ ଆଗମନ ସମୟରେ ସେ ଶ୍ରୀ ସିଂହଦେଓଙ୍କ ଆଡ଼କୁ ଅନାଇ ନଥିଲେ। ଏପରିକି ଯିବା ସମୟରେ ମଧ୍ୟ ସେହି ସମାନ ଦୃଶ୍ୟ ମଞ୍ଚରେ ଦେଖିବାକୁ ମିଳିଥିଲା। ଫଳରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ରୋଚକ ଚର୍ଚ୍ଚା ହେଉଛି। ଓଡ଼ିଶା ବିଜେପିରେ ଚାଲିଥିବା କାର୍ଯ୍ୟକଳାପକୁ ନେଇ ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମସ୍ତ ତଥ୍ୟ ରହିଛି। ତେଣୁ ସେ ଓଡ଼ିଶାର କିଛି ନେତା ଓ ମନ୍ତ୍ରୀ ଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା ଆଲୋଚନା ହେଉଛି। ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ ହେବାକୁ ଯାଉଛି। ଏଥିରେ ବହୁ ବଡ ବଡ ମନ୍ତ୍ରୀ ବାଦ୍ ପଡିବାର ସମ୍ଭାବନା ରହିଛି। ଯାହାକି ଆଗାମୀ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯିବ। ଏବଂ ଏହା ଜନସାଧାରଣଙ୍କୁ ମଧ୍ୟ ଦୃଷ୍ଟିଗୋଚର ହେବ। ସେହି କ୍ରମରେ ଦଳୀୟ କାର୍ଯ୍ୟକାରିଣୀକୁ ମଧ୍ୟ ଗଠନ କରାଯିବ ବୋଲି ଜଣାପଡିଛି। ଓଡ଼ିଶାରେ ଏକ ସ୍ପଷ୍ଟ ଜନାଦେଶ ରହିଥିଲେ ହେଁ ବିଜେପି ତାର ଫାଇଦା ଉଠାଇ ପାରୁନଥିବା ଶ୍ରୀ ମୋଦି ଅନୁଭବ କରିଛନ୍ତି। ତେଣୁ ସେ ଓଡ଼ିଶାର ଅନେକ ନେତା ଓ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ କୁଆଡେ ଭୀଷଣ ଅସନ୍ତୁଷ୍ଟ ରହିଥିବା ଜଣାଯାଇଛି।