ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶାରେ ବିରୋଧୀ ଦଳ ନେତା ପଦରେ ଆସୀନ କରିବା ଓ ଓଡିଶାର ବିଜେପି ରାଜ୍ୟ ପ୍ରଭାରୀ ବଦଳିବା ପରେ ବିଜେପିର ଷ୍ଟ୍ରାଟେଜି ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି । ଯଦିଓ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିକୁ ସବୁ ପ୍ରସଙ୍ଗରେ ଉପରେ ପଡ଼ି ସମର୍ଥନ ଦେଇ ବିଜେଡି ରାଜ୍ୟର ଭୋଟରଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ବିଜେପି ସଂଗଠନକୁ ମଧ୍ୟ ଦୁର୍ବଳ କରିବା ରଣନୀତିରେ ଅନେକାଂଶରେ ସଫଳ ହୋଇଥିଲା । ଆଉ ଏହି କାରଣରୁ ଓଡ଼ିଶାରେ ଆଗକୁ ଆସି ନିଜର ସଂଗଠନକୁ ସୁଦୃଢ଼ କରିବା ଓ କର୍ମୀଙ୍କ ମନୋବଳକୁ ବୃଦ୍ଧି କରାଇବା ନିମନ୍ତେ ବିଜେପି ପାଇଁ ଜୟନାରାୟଣ ମିଶ୍ରଙ୍କ ଭଳି ନିଜର କଠୋରପନ୍ଥୀ ନେତାଙ୍କୁ ଚୟନ କରିବାର ବାଧ୍ୟବାଧକତା ଓ ଆବଶ୍ୟକତା ପଡ଼ିଥିବା ରାଜନୀତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
ବିରୋଧୀ ଦଳ ନେତା ଭାବେ ନାମ ଘୋଷଣା ହେବା ପରେ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଥମଦିନରୁ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ରାଜ୍ୟରେ ନବୀନ ବିରୋଧୀ ଆନ୍ଦୋଳନ ଜୋରଦାର ହେବ ବୋଲି ସେ ସନ୍ଦେଶ ଦେଇଥିଲେ । ଓଡ଼ିଶା ପାଇଁ ବିଜେପି ସଂଘର୍ଷ ପଥ ବାଛି ନେଇଛି ଓ ଏବେ ସଂଘର୍ଷ ହେବ । ତାଙ୍କୁ ବିରୋଧୀ ଦଳ ନେତା କରାଯିବା ହିଁ ଏହାର ସଙ୍କେତ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିବା ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।