ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣି ହାଇସ୍କୁଲ ଖେଳ ପଡିଆରେ ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବ ଶନିବାର ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ସକାଳ ୯ ଘଣ୍ଟା ସମୟରେ ବାଉଁଶୁଣୀ ମାଁ ମାହେଶ୍ୱରୀ ମନ୍ଦିରରୁ ମଶାଲ ବାହାରି ବାଘନଦୀ ସ୍ଥିତ ଡାକ ବଙ୍ଗଳାଠାରେ ପହଞ୍ଚିଥିଲା । ସେଠାରୁ ପୁରୀ ସାହିଯାତ ନୃତ୍ୟ, ଆଦିବାସୀ ନୃତ୍ୟ, ବାଡିଖେଳ, ଝାଲିଆ ଶବର, ପତର ସଉରା ଆଦି ସାଂସ୍କୃତିକ ଦଳ ସହ ବିରାଟ ଶୋଭାଯାତ୍ରାରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ, ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ସମେତ ବାଉଁଶୁଣୀ,ଗୁନ୍ଦୁଳିଆ, ଅଁଳାପାଲି , ତାଳସରଡ଼ା, ମନୁପାଲି, ଖଲିଆପାଲି, କସୁରବନ୍ଧ, ଶଗଡା ଆଦି ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧିମାନେ ସାମିଲ ହୋଇଥିଲେ। ମଶାଲ ଶୋଭାଯାତ୍ରା ବାଉଁଶୁଣି ଛକ ପରିକ୍ରମା ପରେ ମହୋତ୍ସବ ପଡ଼ିଆରେ ସ୍ଥାପନ କରାଯାଇଥିଲା।ମହୋତ୍ସବ କମିଟି ସଭାପତି ଉମାଶଙ୍କର ପାଢ଼ୀ,ଆବାହକ ସରୋଜ ତ୍ରିପାଠୀ, କୋଷାଧ୍ୟକ୍ଷ ସୁଜିତ ମେହେର,ଚକ୍ରଧର ମେହେର , ମନୋଜ ଗାଇଗୌରିଆ, ବିକାଶ ଅଗ୍ରୱାଲ, ଧନଞ୍ଜୟ ପାତ୍ର ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଥମ ସନ୍ଧ୍ୟାରେ ସନ୍ଧ୍ୟାରେ କମିଟି ସଭାପତି ଉମାଶଙ୍କର ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ସେହିଭଳି ଅନ୍ୟତମ ଅତିଥି ଭାବରେ ସରପଞ୍ଚ ବାଉଁଶୁଣି ଅଇଁଠୁ ମହାଲିକ,ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର,ଜିଲ୍ଲା କଂଗ୍ରେସ ସଭାପତି ନବକୁମାର ମିଶ୍ର ଯୋଗଦେଇ ମହୋତ୍ସବ ହେଉଛି କଳା, ସଂସ୍କୃତି ଓ ପରମ୍ପରାର ମିଳନ ସ୍ଥଳ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଦାନନ୍ଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ସନ୍ଧ୍ୟାରେ ପୁରୀ ସାହିଯାତ ନୃତ୍ୟ, ଆଦିବାସୀ ନୃତ୍ୟ, ବାଡିଖେଳ, ଝାଲିଆ ଶବର, ପତର ସଉରା ସହ ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।