ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ତାଙ୍କର ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ସଂପୂର୍ଣ୍ଣ ସୂଚନା ଦେଇନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ । ଏନେଇ ବୌଦ୍ଧ ଏସଡିଜେଏମ ଙ୍କ ଅଦାଲତରେ ଶ୍ରୀଅମାତଙ୍କ ପକ୍ଷରୁ ମୋକଦ୍ଦମା ନମ୍ବର ୨/୨୦୨୫ରେ କେଶ ଦାୟର କରାଯାଇଥିବା ଜଣାଯାଇଛି । ପ୍ରକାଶ ଥାଉକି ଦୀର୍ଘ ୨୪ବର୍ଷ ହେଲା ବୌଦ୍ଧ ଆସନରୁ ବିଜୟୀ ହୋଇ ଆସିଥିବା ଶ୍ରୀଅମାତ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରଥମଥର ପାଇଁ ପରାଜୟର ସ୍ୱାଦ ଚାଖିଥିଲେ । ଶ୍ରୀଅମାତଙ୍କ ପରାଜୟର ଭୋଟ ବ୍ୟବଧାନ ୨୭୦୦ରୁ ଉର୍ଦ୍ଧ୍ୱ ରହିଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ବିଜେଡି କର୍ମୀମାନେ ସହଜରେ ଗ୍ରହଣ କରିପାରିନଥିଲେ । ଜିଲାରେ ପ୍ରଥମ ଥର ପାଇଁ ବିଜେପି ଦୁଇଟିଜାକ ବିଧାୟକ ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଥିଲା । ତେବେ ୨୦୨୪ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରେ ଅନେକ ଅନିୟମିତତା ରହିଥିବା ନେଇ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀଅମାତ ସୂଚନା ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ନାମରେ ୫ ଗୋଟି କେଶ ରହିଥିବା ଉଲ୍ଲେଖ କରିଥିବାବେଳେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ୮ ନମ୍ବର ଜୋନର ବିଜେପି ଜିଲାପରିଷଦ ପ୍ରାର୍ଥୀ ହନୁମାନ ବେହେରାଙ୍କୁ ଜାତିଆଣ ଆକ୍ଷେପ କରି ମରଣାନ୍ତକ ଆକ୍ରମଣ କରିଥିବା ନେଇ ପୁରୁଣାକଟକ ଥାନାରେ ତାଙ୍କ ନାମରେ ୨୫/୧୯ ରେ ଏକ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଥିବା ହନୁମାନ ଦଳିତ ଜାତିର ଏବଂ ସେ ୨୦୧୯ ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଟିଂ କୁ ଭବାନୀପାଟଣା ଯାଇଥିବା କାରଣରୁ ବିଧାୟକ ଶ୍ରୀପ୍ରଧାନଙ୍କ ନେତୃତ୍ୱରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଗତ ସାଧାରଣ ନିର୍ବାଚନରେ ଶ୍ରୀପ୍ରଧାନ ବିଜେପିର ବିଧାୟକ ପ୍ରାର୍ଥୀ ହେବାପରେ ଦଳିତ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପଡିବା ଆଶଙ୍କାରେ ଜାଣିଶୁଣି ଏହି ମାମଲାକୁ ସତ୍ୟପାଠରେ ଦର୍ଶାଇ ନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଉକ୍ତ ମାମଲାରେ ବିଧାୟକ ଶ୍ରୀପ୍ରଧାନ ପ୍ରଥମେ ଥାନାରୁ ଏବଂ ପରେ ଅଦାଲତରୁ ଜାମିନ ରେ ଆସିଥିବାବେଳେ ଏହି ମାମଲା ଏବେ ବୌଦ୍ଧ ଜିଲା ଦୌରାଜଜ୍ ତଥା ସ୍ପେଶାଲ ଜଜ୍ଙ୍କ ନିକଟରେ ବିଚାରାଧିନ ରହିଥିବା ନେଇ ଶ୍ରୀଅମାତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଶ୍ରୀଅମାତ ବିଧାୟକ ଶ୍ରୀପ୍ରଧାନଙ୍କ ପକ୍ଷରୁ ସତ୍ୟପାଠରେ ଦିଆଯାଇଥିବା ସଂପତ୍ତି ତାଲିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଶ୍ରୀପ୍ରଧାନଙ୍କ ପକ୍ଷରୁ ଦାଖଲ ସଂପତ୍ତି ତାଲିକାରେ ତାଳ ମେଳ ନଥିବାବେଳେ ତାଙ୍କ ନାମରେ ଅଧିକ ଜମି ରହିଥିଲେ ମଧ୍ୟ ସତ୍ୟପାଠରେ କମ୍ ଦର୍ଶାଇଛନ୍ତି । ଏହି ମାମଲାର ଖୋଳତାଡ ହେଲେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ଶ୍ରୀଅମାତ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି ଅଳ୍ପଦିନ ପୂର୍ବରୁ ବିଧାନସଭା ଗୃହ କମିଟିର ବୌଦ୍ଧଗସ୍ତ ସମୟରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ କ୍ଷତିପୂରଣ ଦାବି କରୁଥିବା ହରଭଙ୍ଗା ବ୍ଲକ ଭଉଁରୀପଥର ଗ୍ରାମର କିଛି ପରିବାରସହ ମିଶାଇବାକୁ ନିଜେ ବିଧାୟକ ଶ୍ରୀପ୍ରଧାନ ଗୃହ କମିଟିକୁ ନେଇ ସେଠାକୁ ଯାଇଥିଲେ । ପୂର୍ବରୁ ହୋଇଥିବା ଡ୍ରୋନ ସର୍ଭେରେ ଉକ୍ତ ସ୍ଥାନରେ କୌଣସି ଗ୍ରାମ ନଥିବା ସ୍ପଷ୍ଟ ହୋଇସାରିଥିବାବେଳେ ଗୃହ କମିଟିକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇ ଉକ୍ତ ସ୍ଥାନକୁ ନିଆଯାଇଥିବା ଏବଂ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ମନ୍ଦ ଉଦ୍ଦେଶ୍ୟ ରଖି ନିଜେ ବିଧାୟକ ବିଳମ୍ବ କରୁଥିବା ନେଇ ବିଜେଡି ପକ୍ଷରୁ ଶ୍ରୀଅମାତ ଅଭିଯୋଗ କରିଥିଲେ । ତେବେ ଗୋଟିଏ ପଟେ ବିଜେପି ରାଜ୍ୟରେ ଏକବର୍ଷ ପୂର୍ତ୍ତିରେ ସଫଳତାର ବାର୍ତା ବାଣ୍ଟୁଥିବାବେଳେ ଅନ୍ୟପଟେ ଜିଲାରେ ସରକାରୀ ଦଳର ମୁଖ୍ୟ ସଚେତକ ଭଳି ଗୁରୁତ୍ୱପୁର୍ଣ୍ଣ ପଦବୀରେ ଥିବା ବିଧାୟକ ଶ୍ରୀପ୍ରଧାନଙ୍କ ନାମରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣି ବିରୋଧୀ ବିଜେଡି ଦଳ ପକ୍ଷରୁ ଘନ ଘନ ଆକମ୍ରଣ ଜିଲାରେ ରାଜନୈତିକ ମାହୋଲକୁ ଉଷ୍ମ କରିଦେଇଛି । ବୌଦ୍ଧ ସର୍କିଟହାଉସଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଅଶୋକ କୁମାର ସାହୁ,ଅବକାଶ ସାହୁ ଓ ଅମ୍ରିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।